Unknown

 

 

 

 

 

 

 

 

 

ସର୍ପ-ବିଷ ଚିକିତ୍ସା

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ଉଷ୍ମପ୍ରଧାନ ଦେଶ ସାପ ମାନଙ୍କର ପ୍ରଧାନ ବାସସ୍ଥାନ । ଗ୍ରୀଷ୍ମ ପ୍ରଧାନ ହେତୁ ଏ ଦେଶରେ ନାନା ଜାତିର ଅନେକ ବିଷାକ୍ତ ସାପ ବାସ କରନ୍ତି । ସାପମାନେ ସାଧାରଣତଃ ବସତି (ବସ୍ତି ବା ଗ୍ରାମ) ବାହାରେ ନିର୍ଜ୍ଜନ ସ୍ଥାନ ମାନଙ୍କରେ ବୁଦା ବା ହୁଙ୍କା ଭିତରେ ବାସ କରନ୍ତି । ଶୀତ କାଳରେ ପ୍ରାୟ ସେମାନେ ଗାତରୁ ବାହାରନ୍ତି ନାହିଁ । କେବେ କେବେ ବାହାରିଲେ ମଧ୍ୟ ସେମାନଙ୍କର ସେ ସମୟରେ ସେପରି ତେଜ ନ ଥାଏ । ଗ୍ରୀଷ୍ମକାଳ ଆରମ୍ଭରୁ ବର୍ଷାକାଳ ଶେଷ ଅର୍ଥାତ୍‌ ଶୀତକାଳର ଆରମ୍ଭ ପର୍ଯ୍ୟନ୍ତ ଏହି ସମୟ ମଧ୍ୟରେ ସେମାନେ ଗାତରୁ ବାହାରି ଚାରିଆଡ଼େ ବୁଲୁଥାନ୍ତି । ସାପମାନେ ପ୍ରଧାନତଃ ରାତ୍ରି ବେଳେ ବୁଲି ବାହାରନ୍ତି । ବର୍ଷାକାଳରେ ସେମାନଙ୍କ ଗାତରେ ପାଣି ପଶିବାରୁ ସେମାନେ କ୍ରୋଧରେ ଭୟାନକ ମୂର୍ତ୍ତି ଧରି ଆହାର ଖୋଜିବା ନିମନ୍ତେ ବାହାର ହୋଇଥାନ୍ତି ଏବଂ ଅନେକ ସାପ ଗ୍ରାମ ମଧ୍ୟକୁ ଆସି ଘରମାନଙ୍କରେ ପଶିଥାନ୍ତି । ଏହି ବର୍ଷା କାଳରେ ଏ ଦେଶର ଅନେକ ଲୋକ ସର୍ପ ଦଂଶନରେ ମୃତ ହୋଇଥାନ୍ତି । ସରକାର ରିପୋଟରେ ପ୍ରକାଶ ୧୯୦୯ ଓ ୧୦ ସାଲରେ ଏହି ଭାରତର ୨୨,୪୭୮ ଜଣ ଏବଂ ୧୯୧୦ ଓ ୧୧ ସାଲରେ ୨୪,୨୬୪ ଜଣ ସର୍ପ ଦଂଶନରେ ମରି ଅଛନ୍ତି !!

 

ସର୍ପମାନେ ନିର୍ମ୍ମଳ ଥିବା ସ୍ଥାନକୁ ପ୍ରାୟ ଆସନ୍ତି ନାହିଁ । ଘର ଓ ବାହାର ନିର୍ମ୍ମଳ କରି ରଖିଲେ ସାପଭୟ ଊଣା ହୋଇଯାଏ । ଘରକୁ ସାପ ଆସିବାର ଆଉ ଗୋଟିଏ ପ୍ରଧାନ କାରଣ ମୂଷା ଖୋଜିବା । ଅନେକଙ୍କ ଘରେ ମୂଷାମାନେ ଗାତ କରି ରହିଥାନ୍ତି । ମୂଷା ସାପର ଖାଦ୍ୟ, ପୁଣି ସାପମାନେ ଗାତ ଖୋଳି ପାରନ୍ତି ନାହିଁ, ଏଣୁ ସେମାନେ ମୂଷା ମାନଙ୍କୁ ଖାଇ ସେମାନଙ୍କ ଗାତରେ ରହନ୍ତି । ଘରେ ମୂଷା ରହିଲେ ସାପକୁ ବା ମରଣକୁ ନିମନ୍ତ୍ରଣ କରି ଆଣିବା ପରି ଅଟେ । ବିରାଡ଼ି ବା ନେଉଳ ପୋଷି ମୂଷାମାନଙ୍କୁ ଘରୁ ଘଉଡ଼ାଇ ଦେବା, ଘରେ ବାହରେ ଅଳିଆ ଜମା ନ କରି ନିର୍ମ୍ମଳ କରି ରଖିବା, ଅନ୍ଧାର ରାତିରେ ଆଲୁଅ ଧରିଯିବା ଆସିବା କରିବା ଏହିସବୁ ସାପ ଭୟ ନିବାରଣ ହେବାର ପ୍ରଧାନ ଉପାୟ । ରାତ୍ରରେ ଘର ମାନଙ୍କରେ ବିଶେଷତଃ ଶୋଇବା ଘରେ ଝୁଣା, ଗନ୍ଧକ, ହରିତାଳ, ନିଶାଦଳ ଆଦି ପୋଡ଼ିବା ଉଚିତ । ତହିଁର ଗନ୍ଧ ସହି ନ ପାରି ସାପମାନେ ଶୀଘ୍ର ସେହିସ୍ଥାନ ଛାଡ଼ି ପଳାନ୍ତି । ‘‘କାର୍ବଲିକ ଏସିଡ଼’’ ମିଶିଥିବାପାଣି ଘରେ ସିଞ୍ଚିଲେ ଘରେ ସାପ ପଶି ପାରିବେ ନାହିଁ ବା ରହି ପାରିବେ ନାହିଁ । (କାର୍ବଲିକ ଡାକ୍ତରୀ ଔଷଧ ଦୋକାନରେ ମିଳେ ।)

 

ଅଜୀର୍ଣ୍ଣ ରୋଗୀ, ପିତ୍ତ ବିକାରୀ, ଖରାରେ ବ୍ୟାକୁଳ, ବାଳକ, ବୃଦ୍ଧ କ୍ଷୁଧାର୍ତ୍ତ, କ୍ଷୀଣ, କ୍ଷତରୋଗୀ, ପ୍ରମେହ ଓ କୁଷ୍ଠ ରୋଗାର୍ତ୍ତ, ଗର୍ଭିଣୀ, ରୁକ୍ଷ ଓ ଦୁର୍ବଳ ବ୍ୟକ୍ତିମାନଙ୍କୁ ସର୍ପ ଦଂଶନ କଲେ ସେମାନେ ଅଳ୍ପକାଳ ମଧ୍ୟରେ ବିପନ୍ନ ହୋଇ ପଡ଼ନ୍ତି । ଅଶ୍ୱତ୍ଥ ବୃକ୍ଷରତଳେ, ଶ୍ମଶାନ ଭୂମିରେ ହୁଙ୍କା ବା ବିଳା ପାଖରେ, ଚତୁଷ୍ପଥ (ଚାରି ଆଡ଼ର ଛକ ବାଟ) ଏପରି ସ୍ଥାନ ମାନଙ୍କରେ ସର୍ପ ଦଂଶନ କଲେ ରୋଗିର ଜୀବନ ରକ୍ଷା ହୁଏ ନାହିଁ । ଏହିପରି ପ୍ରାତଃ କାଳରେ, ସନ୍ଧ୍ୟା ସମୟରେ, ଋକ୍ମିଣୀ, ଆର୍ଦ୍ରା, ମଘା, ଅଶ୍ଳେଷା ଏବଂ କୃତ୍ତିକା ନକ୍ଷତ୍ରରେ ଦଂଶନ କଲେ ରୋଗିର ନିଶ୍ଚୟ ମୃତ୍ୟୁହୁଏ ବୋଲି ଶାସ୍ତ୍ରରେ ଲେଖାଅଛି ।

 

ସାପ ଯାହାର ମର୍ମ୍ମସ୍ଥାନରେ ଦଂଶନ କରେ ଅଥବା ଯେଉଁ ସର୍ପ ଦଷ୍ଟ (ଦଂଶିତ) ରୋଗିର ଶରୀରରେ ଅସ୍ତ୍ରଦ୍ୱାରା କ୍ଷତ କଲେ ରକ୍ତ ନିର୍ଗତ ହୁଏ ନାହିଁ, ଅଥବା ଲତା ପ୍ରଭୃତି ଦ୍ୱାରା ଟାଣରେ ଆଘାତ କଲେ ମଧ୍ୟ ଦେହରେ ଆଘାତର ଚିହ୍ନ ରହେନାହିଁ, କିମ୍ବା ଶୀତଳ ଜଳର ଛିଟା ମାଇଲେ ରୋମ ଟାଙ୍କୁରେ ନାହିଁ; ଯାହାର ମୁହଁ ବଙ୍କା ହୋଇଯାଏ, ମୁଣ୍ଡର ବାଳ ଧରି ଟାଣିଲେ ଉପୁଡ଼ି ଯାଏ, ବେକ ନଇଁଯାଏ, ହନୂ ବନ୍ଦ ହୋଇଯାଏ, ଦଷ୍ଟ ସ୍ଥାନରେ ରକ୍ତ କିମ୍ବା କୃଷ୍ଣବର୍ଣ୍ଣ ଶୋଥ ଜାତ ହୁଏ, ମୁଖରୁ ବଳିତା ପରି ମୋଟା ଲାଳ ବା ରକ୍ତ ବାହାରେ, ସେ ରୋଗିର ବଞ୍ଚିବା ଅସମ୍ଭବ-। ଦଷ୍ଟ ସ୍ଥାନରେ ଚାରିଟି ଦନ୍ତାଘାତର ଚିହ୍ନ ଦେଖାଗଲେ ତାହାମଧ୍ୟ ଅସାଧ୍ୟ, କିନ୍ତୁ ଏହା ବୋଲି ଆଶାତ୍ୟାଗ କରିବ ନାହିଁ, କାରଣ ଏ ପୁସ୍ତକରେ ଏପରି ଔଷଧ ମାନ ଲେଖାଯିବ ଯାହା ବ୍ୟବହାର କଲେ କାଳଦଷ୍ଟୋଽପି ଜୀବତି’’ ‘‘ସର୍ପଦଷ୍ଟ ବିଷଂ ଜିତ୍ୱା ସଞ୍ଜୀବୟତି ମାନବଂ ।’’

 

ହସ୍ତ ବା ପଦରେ ସର୍ପଦଂଶନ କଲେ ଦଷ୍ଟ ସ୍ଥାନର ଚାରିଅଙ୍ଗୁଳ ଉପରେ ଶୀଘ୍ର ଦୃଢ଼ରୂପେ ଦଉଡ଼ି ବାନ୍ଧିବ, ଯେପରି କି ରକ୍ତ ସଂଞ୍ଚାଳିତ ହୋଇ ବିଷ ଉପରକୁ ଉଠି ନ ପାରିବ । ତତ୍‌ପରେ ଦଷ୍ଟ ସ୍ଥାନକୁ ଚିରି ରକ୍ତ ବାହାର କରିବ । ମୁଖ ମଧ୍ୟରେ କୌଣସିଠାରେ କୌଣସି ପ୍ରକାର କ୍ଷତ ନ ଥିଲେ ଦଷ୍ଟ ସ୍ଥାନରେ ମୁଖ ଲଗାଇ ରକ୍ତ ଶୋଷି ତଳେ ପକାଇବ । ସେପରି କରିବାର ସୁବିଧା ନ ଥିଲେ ଗୋଟିଏ ସାନଗିନା ବା ଗିଲାସରେ ‘‘ସ୍ପିରିଟ’’ (ମଦ୍ୟରସାର) ଢାଳି ସେହି ପାତ୍ରକୁ ଓଲଟାଇ କ୍ଷତ ମୁଖରେ ମାଡ଼ି ଧରିବ । ତାହାହେଲେ ବିଷଯୁକ୍ତ ରକ୍ତ ନିର୍ଗତ ହେବ । ତା ଉତ୍ତାରୁ ଅଗ୍ନିଦ୍ୱାରା ବା ଅଗ୍ନି ତାପରେ ରକ୍ତବର୍ଣ୍ଣ ହୋଇଥିବା ଲୁହାଖଣ୍ଡ ଦ୍ୱାରା କ୍ଷତ ସ୍ଥାନକୁ ପୋଡ଼ି ଦେବ । ହାତ ଗୋଡ଼ଛଡ଼ା ଅନ୍ୟ ଯେଉଁସ୍ଥାନରେ ବାନ୍ଧିବାର ସୁବିଧା ନାହିଁ ସେପରି ସ୍ଥାନରେ ଦଂଶନ କରିଥିଲେ ସେହିକ୍ଷଣି ସେହିସ୍ଥାନ ଭଲକରି ଚିରି ବା କାଟିଦେଇ ରକ୍ତ ବାହାର କରିବ । ପରେ ସେ ସ୍ଥାନକୁ ପୋଡ଼ିଦେବ । ଏପରି କଲେ ବିଷନାଶର ପୂର୍ଣ୍ଣ ସମ୍ଭାବନା । ରୋଗିକୁ ଉନ୍ନିଦ୍ର ରଖିବ; ଶୁଆଇବ ନାହିଁ । ନିଦ୍ରା ନାଶ ନିମନ୍ତେ ଚା, କଫି ପ୍ରଭୃତି ପାନୀୟ ଦିଆଯାଇ ପାରେ ।

 

ବିଷନାଶକ ଉପାୟ

୧.

ମଞ୍ଜିଷ୍ଠା ମୂଳକୁ ଚୂର୍ଣ୍ଣକରି ନସ୍ୟଦେବ ।

୨.

ବଣଅଦାର ମୂଳ ବାଟି ଲେପଦେବ ଓ ପିଆଇବ ।

୩.

ଲଲାଙ୍ଗୁଳିଆ ମୂଳକୁ ବାଟି ନାଶ ଦେବ ।

୪.

ଧନ୍ୱନ୍ତରୀ ପତ୍ରକୁ ବାଟି କ୍ଷତ ସ୍ଥାନରେ ଲେପଦେବ ।

୫.

କ୍ଷୀରସମୁଦ୍ର ଚେର ବାଟି ପିଆଇବ ।

୬.

ଚକ୍ରକେଦାର ମୂଳ ବାଟି ଲେପଦେବ ।

୭.

ଶୁଣ୍ଠି ଓ ନିର୍ବିଷପତ୍ର ବାଟି ଖୁଆଇବ ।

୮.

ଟାଙ୍ଗଣାକୁ ପୋଡ଼ି ଜଳରେ ମିଶାଇ ପିଆଇବ ।

୯.

ଅର୍ଖମୂଳ ବାଟି ପିଆଇବ ।

୧୦.

ବାସଙ୍ଗଚେର ବାଟି ଲେପଦେବ ।

୧୧.

ହାତୀଶୁଣ୍ଡାର ମୂଳ ବାଟି ପିଆଇବ ।

୧୨.

କାଣିନେଉଟିଆ ରସ ଏକପା ଅନ୍ଦାଜରେ ପିଆଇବ ।

୧୩.

ଧଳାକାଇଞ୍ଚ ମୂଳ ଏକତୋଳା ମାତ୍ରାରେ କାଟି ପିଆଇବ ।

୧୪.

କୁଜି ବାଳବାଳୁଆକୁ ଗୁଆଦେହରେ ବାଟି ପିଆଇବ ।

୧୫.

ଅଫଳନ୍ତି ଶିମିଳୀମୂଳ ବାଟି ପିଆଇବ ଓ ଲେପଦେବ ।

୧୬.

କୃଷ୍ଣତୁଳସୀ ଗଛର ଚେର ବାଟି ପିଆଇବ ଓ ଲେପଦେବ ।

୧୭.

ସାନ ବା ଗଜା ନିମ୍ବଗଛର ଚେର ବାଟି ପିଆଇବ ।

୧୮.

ତ୍ରିପୁରୀ କଳାଦୁଦୁରା ମୂଳକୁ ଜଳରେ ଘୋରି ଲେପଦେବ ।

୧୯.

ପୁରୁଣୀ ମୂଳକୁ ଚାଉଳଧୁଆ ପାଣିରେ ବାଟି ପିଆଇବ ।

୨୦.

ରାମକେଦାର ମୂଳକୁ ଗୋଲମରୀଚ ସହିତ ବାଟି ଲେପ ଦେବ ।

୨୧.

ଟଗରଗଛର ଚେର ଶ୍ୱେତକରବୀର ଚେର ସହିତ ବାଟି ପିଆଇବ ।

୨୨.

କନକାମଞ୍ଜିର ଶସ ବାଟି ଦଂଶିତସ୍ଥାନରେ ଲେପଦେବ ।

୨୩.

ଲାଜକୁଳୀ ଲତାର ମୂଳ ଚାଉଳଧୁଆ ପାଣିରେ ବାଟି ପାନ କରାଇବ ।

୨୪.

ଫୁଟୁଫୁଟିଆ ମୂଳ ଅରୁଆଚାଉଳଧୁଆ ପାଣିରେ ବାଟି ପିଆଇବ ।

୨୫.

ବଟାହଳଦୀ ଜଳରେ ଗୋଳି ପିଆଇବ ଓ ଲେପଦେବ ଏବଂ ସ୍ନାନ କରାଇବ ।

୨୬.

ଗୋଲମରୀଚ ସହିତ ଟଗରଗଛର ଚେର ବାଟି ପିଆଇବ ।

୨୭.

ଶ୍ୱେତମହାକାଳ ଚେରକୁ ଘୋରି ପିଆଇବ ଓ ଲେପ ଦେବ ।

୨୮.

ମହଣକୁ ବିଶେଷ ଗରମକରି କ୍ଷତସ୍ଥାନରେ ଲଗାଇଲେ ତାହା ବିଷ ଶୋଷିନିଏ ।

୨୯.

ବେଲଚେର ଓ ହଳଦୀ ଏକତ୍ରରେ ବାଟି ପିଆଇବ ଓ ଲେପଦେବ ।

୩୦.

ଶୁକ୍ଳ ଜବାଫୁଲଗଛର ଚେର ଗୋଲମରୀଚ ସହିତ ବାଟି ସେବନ କରାଇବ ।

୩୧.

ହାତୀଶୁଣ୍ଡାର ମୂଳ ଏବଂ ଭୂଇଁଚମ୍ପାମୂଳ ବାଟି ପିଆଇବ ।

୩୨.

ଅମରପୋଇର ମୂଳ, ଚମ୍ପାଲେଉଟିଆ ସହିତ ବାଟି ପିଆଇବ ।

୩୩.

ଗୋଖରସାପ କାମୋଡ଼ିଥିଲେ ଶ୍ୱେତଚିତାମୂଳ ଏକତୋଳା ଅଧଖଣ୍ଡ ପିପ୍ପଳୀ ସହିତ ବାଟି ପିଆଇବ ।

୩୪.

ଦ୍ରୋଣପୁଷ୍ପ ଗଛର ଚେରକୁ ୨୪ ଗୋଟା ଗୋଲମରୀଚ ସହିତ ବାଟି ପିଆଇବ ।

୩୫.

ଲଙ୍କାମରୀଚଗଛର ଚେର ବାଟି ପିଆଇବ । ଲଙ୍କାମରୀଚ ଚୋବାଇଲେ ମଧ୍ୟ ଉପକାର ହୁଏ ।

୩୬.

ବଜ୍ରମୂଳୀମୂଳ ଅଧଛଟାଙ୍କ, ୨୬ ଗୋଟା ଗୋଲମରୀଚ ସହିତ ବାଟି ଖୁଆଇବ ।

୩୭.

ଫୁଲ ଫୁଟି ନ ଥିବା ବେଲଗଛର ଚେରକୁ ୩୫ ଗୋଟା ଗୋଲମରୀଚ ସହିତ ବାଟି ପିଆଇବ ।

୩୮.

ଟଗରଗଛ ମୂଳର ଛାଲ ଓ ଶ୍ୱେତ କନିଅର ମୂଳ ଏକତ୍ର ବାଟି ଖୁଆଇବ ।

୩୯.

ଭୂଇଁନିମ୍ବର ରସ ଅଧପା ମାତ୍ରାରେ ବାଟି ଖୁଆଇବ ଏବଂ ପତ୍ର ବାଟି ଲେପ ଦେବ ।

୪୦.

ଦାରୁହଳଦୀ, ହଳଦୀ, ଅଳନ୍ଧୁ ଓ କଣ୍ଟାଲେଉଟିଆ ମୂଳକୁ ଚାଉଳଧୁଆ ପାଣିରେ ବାଟି ଦହି ଓ ଘିଅ ମିଶାଇ ପିଆଇବ ।

୪୧.

ଅଫଳନ୍ତି କାଙ୍କଡ଼ଗଛର ମୂଳକୁ ଛେଳି ଦୁଧରେ ବତୁରାଇ କାଞ୍ଜି ସହିତ ବାଟି ଶୁଖାଇ ରଖିଥିବ; ତାହାର ନସ୍ୟ ଦେବ ।

୪୨.

ସଜନାମଞ୍ଜି, ଶିରୀଷଫୁଲର ରସରେ ୭ ଦିନ ଓଦା ଓ ଶୁଷ୍କକରି ତାହା ନସ୍ୟ, ଅଞ୍ଜନ ଓ ପାନୀୟ ଔଷଧରୂପେ ବ୍ୟବହାର କରିବ ।

୪୩.

ଅଢ଼େଇତୋଳା ରସୁଣ ରସ ସହିତ ଛେଳିଦୁଧ ମିଶାଇ ପିଆଇବ ଏବଂ ରସୁଣର ସିଠାକୁ କ୍ଷତ ସ୍ଥାନରେ ଲେପ ଦେବ ।

୪୪.

ସର୍ପ ଅଥବା ବାୟା କୁକୁର କିମ୍ବା ଶୃଗାଳ ଦଂଶନ କରିଥିଲେ ଦଂଶିତ ବ୍ୟକ୍ତିକୁ ପ୍ରଚୁରପରିମାଣରେ ଗୁଆଘିଅ ପିଆଇବ । ଘିଅ ବିଷର କ୍ରିୟା ନଷ୍ଟକରେ ।

୪୫.

ପତ୍ରସିଝ ଗଛର ପତ୍ରକୁ ଛେଚି, ତାହାର ରସ ସେବନ କରାଇବ । ସେବନ କରି ନ ପାରିଲେ ସେହି ରସ ନାକ ବା କାନବାଟେ ପ୍ରବେଶ କରାଇବ ଏବଂ ତହିଁରେ କ୍ଷୀର ଲେପ ଦେବ ।

୪୬.

ଇନ୍ଦ୍ରଯବ, ତଗରପାଦୁକା, ଜହ୍ନୀ, କଟୁକୀ ଏବଂ ପିତାଲାଉକୁ ବାଟି ସେବନ ଏବଂ ନସ୍ୟରୂପେ ବ୍ୟବହାର କଲେ ବିଛା, ମୂଷା ବୁଢ଼ୀଆଣୀ ଏବଂ ସାପର ବିଷ ନଷ୍ଟ ହୁଏ । ଏହା ଅମୃତପରି ଗୁଣଶାଳୀ ଔଷଧ ।

୪୭.

ଡହରକରଞ୍ଜ (ନକ୍ତମାଳ) ଫଳ, ତ୍ରିକଟୁ, ବେଲମୂଳ, ହଳଦୀ, ଦାରୁହଳଦୀ ଓ ତୁଳଶୀ ମଞ୍ଜରୀକୁ ଛେଳି ମୂତରେ ବାଟି ଆଖିରେ ଅଞ୍ଜନପରି ଲଗାଇଲେ ସର୍ପଦଷ୍ଟ ସଂଜ୍ଞାହୀନ ବ୍ୟକ୍ତି ଚୈତନ୍ୟ ଲାଭ କରିପାରେ ।

୪୮.

ଶ୍ୱେତ ଅରଖ ଗଛର ପତ୍ରକୁ ଛିଣ୍ଡାଇ ଆଣିବାମାତ୍ରେ ତାହାକୁ ଦଳି ତାହାର ରସ ନାକରେ ଦୁଇ ତିନି ଟୋପା ପକାଇବ, ଏପରିକଲେ ବାରମ୍ବାର ୫ ମିନିଟଯାଏ ଛିଙ୍କହେବ । ଛିଙ୍କ ବନ୍ଦ ହେଲେ ବିଷ ନାଶ ହେଲାବୋଲି ଜାଣିବ ।

୪୯.

ଗୋ ମହିଷାଦିଙ୍କୁ ସର୍ପଦଂଶନ କଲେ ସାହାଡ଼ାମୂଳ ଦୁଇତୋଳା, ଅଦା ଏକତୋଳା, ଗୋଲମରୀଚ ୭ ଗୋଟା ଏକତ୍ର ବାଟି କଅଁଳ କଦଳୀପତ୍ର ମଧ୍ୟରେ ରଖି ଖୁଆଇବ । ଏହିପରି ୩ । ୪ ପାନ ଖୁଆଇଲେ ବିଷ ନଷ୍ଟ ହେବ ।

୫୦.

ହୁଡ଼ହୁଡ଼ର ମୂଳକୁ ୮।୧୦ ଗୋଟା ଗୋଲମରୀଚ ସହିତ ଜଳରେ ବାଟି ପିଆଇବ । ଏହା ସେବନର ଅଳ୍ପକ୍ଷଣ ପରେ କିଛି ଫିଟିକିରି ମିଶିଥିବା ପାଣି ପିଆଇବ । ତଦ୍ଦ୍ୱାରା ବାନ୍ତି ହେଲେ ବିଷ ନାଶ ହୋଇ ନାହିଁ ଜାଣି ପୁନଶ୍ଚ ଉକ୍ତ ଔଷଧ ସେବନ କରାଇବ ।

୫୧.

ଗୋଟିଏ ପିପଳୀ ସହିତ ମୁଥାବାଟି ଲେପ ଦେବ ଓ ସେବନ କରାଇବ ।

୫୨.

କନକା (ଜୟପାଳ) ମଞ୍ଜିର ଚୋପା ଛଡ଼ାଇ ଲେମ୍ବୁ ରସରେ ବୁଡ଼ାଇ ଛାଇରେ ଶୁଖାଇବ । ଏହିପରି (ଥରକୁ ଥର ୨୧ ଥର ବୁଡ଼ାଇ ଓ ୨୧ ଥର ଶୁଖାଇ ତହିଁରେ ବର୍ତ୍ତି ପ୍ରସ୍ତୁତ କରି ରଖିଥିବ । ସେହି ବର୍ତ୍ତିକୁ ମନୁଷ୍ୟ ମୁଖର ଲାଳରେ ଘଷି ଆଖିରେ ଅଞ୍ଜନପରି ଲଗାଇଲେ ଢଳି ପଡ଼ିଥିବା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରେ ।

୫୩.

ତିହୁଡ଼ି ମୂଳ, ଦନ୍ତିମୂଳ, ଜାଠିମଧୁ, ହଳଦୀ, ଦାରୁହଳଦୀ, ମଞ୍ଜିଷ୍ଟା, ସୁନାରୀଫଳର ମକ୍କା, ପଞ୍ଚଲବଣ ଓ ତ୍ରିକଟୁ, ଏହିସବୁ ଦ୍ରବ୍ୟ ସମାନଭାଗରେ ମିଶାଇ ଚୂର୍ଣ୍ଣକରି ମହୁ ସହିତ ଗୋରୁଶିଙ୍ଗ ମଧ୍ୟରେ ରଖିଥିବ, ତହିଁରୁ ଏକସିଉକୀ ବା କିଛି ଅଧିକ ମାତ୍ରାରେ ବାହାର କରି ଘିଅ, ଦୁଧ ଓ ମହୁ ସହିତ ସେବନ କରାଇବ । ଏହାର ନସ୍ୟ ଓ ପ୍ରଲେପ ମଧ୍ୟ ବିଶେଷ ଉପକାରୀ ।

୫୪.

‘‘ପାରମ୍ୟାଙ୍ଗନେଟ ଅବ୍‍ ପଟାଶ’’ ନାମକ ଔଷଧ ଡ଼ାକ୍ତରୀ ଔଷଧ ଦୋକାନରେ ମିଳେ, ସର୍ପଦଷ୍ଟ ସ୍ଥାନର ଉପର ପାଖ ଦୃଢ଼ରୂପେ ବାନ୍ଧିଦେଇ ଦଂଶନ କରିଥିବା ସ୍ଥାନକୁ ଦାଢ଼ୁଆଛୁରୀ ବା ଖର ଦ୍ୱାରା ଚିରିଦେବ, ତତ୍ପରେ ସେହି ସ୍ଥାନରେ ପାଞ୍ଚରତି (ଦଶ-ଗ୍ରେନ୍‌) ଉକ୍ତ ଔଷଧ ଘଷି ଦେବ । ଥରକେ ଉପକାର ନ ହେଲେ ଦୁଇ ତିନିଥର ଔଷଧ ଲଗାଇ ମର୍ଦ୍ଦନ କରିବ । ଏହା ବିଶେଷ ଫଳପ୍ରଦ ଔଷଧ ବୋଲି ଡ଼ାକ୍ତରମାନେ ପ୍ରକାଶ କରନ୍ତି ।

୫୫.

ସର୍ପଦଂଶନ କରିଥିବା ସ୍ଥାନରେ କୁକୁଡ଼ାଡ଼ିମ୍ବ ସ୍ପର୍ଶ କରାଇଲେ ଦେଖିବ ଯେ ଡିମ୍ବ ବିଷଟାଣି କଳାରଙ୍ଗ ଧାରଣ କରିଅଛି; ଏହିପରି ନୂଆ ନୂଆ ଡିମ୍ବ ବାରମ୍ବାର ଲଗାଉ ଥିବ । ଯେତେବେଳେ ଦେଖିବ ଡିମ୍ବ ଲଗାଇଲେ ତାହା ଆଉ କୃଷ୍ଣବର୍ଣ୍ଣ ଧାରଣ କରୁନାହିଁ ତେତେବେଳେ ଜାଣିବ ଯେ ବିଷ ଦୋଷ ଦୂର ହୋଇଅଛି । ଏହା ବିଶେଷ ଫଳପ୍ରଦ ଔଷଧ ବୋଲି ପରୀକ୍ଷାଦ୍ୱାରା ପ୍ରତିପନ୍ନ ହୋଇଥିବାର ସମ୍ବାଦପତ୍ର ମାନଙ୍କରେ ପ୍ରକାଶିତ ହୋଇଅଛି ।

 

 

୫୬.

୧୦।୭।୧୩ ର ‘‘ସଞ୍ଜୀବନୀ’’ ପତ୍ରିକାରେ ପ୍ରକାଶ, ଦକ୍ଷିଣ ଆମେରିକାର ଅନ୍ତର୍ଗତ ବ୍ରାଜିଲଠାରୁ ଜଣେ ପରିଣତ ବୟସ୍କ ଲୋକ ଏବଂ ଗୋଟାଏ ଷଣ୍ଢକୁ ସର୍ପଦଂଶନ କରିବାରୁ ସେମାନଙ୍କୁ କଦଳୀଗଛର ରସ ଖାଇବାକୁ ଦିଆଯାଇଥିଲା । ସେହି ରସପାନ ହେତୁ ସମସ୍ତେ ମୁକ୍ତି ଲାଭ କରିଥିଲେ ।’’ ସୁତରାଂ କଦଳୀ ବୃକ୍ଷର ରସ ଯେ ସର୍ପ ବିଷ ନାଶକ ଏହା ସହଜରେ ଜଣା ଯାଉଅଛି ।

 

ନିମ୍ନଲିଖିତ ଔଷଧ ଚାରିଗୋଟି ପରୀକ୍ଷାଦ୍ୱାରା ଫଳ ପ୍ରଦ ହୋଇଥିବା ବିଷୟ ବାଙ୍କୁଡ଼ା ନିବାସୀ ଶ୍ରୀଯୁକ୍ତ ଫକୀରେଶ୍ୱର ସେନ ସମ୍ବାଦପତ୍ରରେ ପ୍ରକାଶ କରିଅଛନ୍ତି ।

 

୫୭.

(୧) ବିଶଲ୍ୟ କରଣୀ ପତ୍ରର ରସ ଏକତୋଳା ଅନ୍ଦାଜରେ ପିଆଇବ ।

୫୮.

(୨) ଈଶ୍ୱର ଜଟାର ଚେର ବାଟି ତାହାର ରସ ଦୁଇତୋଳା ଅନ୍ଦାଜରେ ପିଆଇବ ।

୫୯.

(୩) ଶ୍ୱେତ କରବୀର ଚେର ବିଷାକ୍ତ ପଦାର୍ଥ; ଏହାର ରସ ପ୍ରଥମାବସ୍ଥାରେ ଏକ ହୋଣି ବା ତହିଁର ଅର୍ଦ୍ଧେକ ଓଜନରେ ସେବନ କରାଇବ । ସିଉକୀ ଓଜନରୁ ଅଧିକମାତ୍ରାରେ ରସ ପିଆଇଲେ ଅପକାରର ସମ୍ଭାବନା ।

୬୦.

(୪) ରୋଗୀ ଯେ କୌଣସି ଅବସ୍ଥାରେ ଥାଉ ତାକୁ କଞ୍ଚାପତ୍ର ରସ ଏକପା ଅନ୍ଦାଜ ପିଆଇଲେ ବିଷନାଶ ହୁଏ । ପଛକୁ ପଛକୁ ଅଧିକ ପରିମାଣରେ ସେହି ରସ ପିଆଇଲେ ଆଉ ଅପକାର ନ ହୋଇ ଉପକାର ହୁଏ । (କପାପତ୍ର ବାଟି କ୍ଷତ ସ୍ଥାନରେ ଲେପ ଦେବ-।)

୬୧.

ମିସେସ୍‌ ମୁରାଟ ସାପ ବିଷର ଫଳପ୍ରଦ ଔଷଧ ଆବିଷ୍କାର କରିଅଛନ୍ତି । ତାହା କଲିକତାର ସୁପ୍ରସିଦ୍ଧ ଔଷଧବିକ୍ରେତା ସ୍ମିଥ ଷ୍ଟେନିଷ୍ଟ୍ରୀଟ’’ କମ୍ପାନୀଙ୍କ ଦୋକାନରେ ମିଳେ । ତହିଁରୁ ଏକ ଏକ ଶିଶି ଗ୍ରାମବାସିମାନଙ୍କର ସଂଗ୍ରହ କରି ରଖିବା ଉଚିତ ।

୬୨.

ସର୍ପଦଂଶନ କରିବା ମାତ୍ର ଅଧିକ ବିଳମ୍ବ ନ କରି ଦୁଇଟି ବାଘନଖୀ ଫଳ ଚୂର୍ଣ୍ଣ କରି ଅଧପା ଗୁଆଘିଅ ସହିତ ଅଳ୍ପ ଉଷ୍ମକରି ପାକ କରାଇବ ଏବଂ ୧୫ ମିନିଟ ପରେ ଆଉ ଏକଛଟାଙ୍କି ଘିଅ ଦୁଇଟି ଫଳ ଚୂର୍ଣ୍ଣ ସହିତ ଗରମ କରି ପିଆଇବ । ଫଳଦ୍ୱାରା ଦଷ୍ଟସ୍ଥାନ ଏବଂ ତାହାର ଚାରିପାଖ ଚିରି ରକ୍ତ ବାହାର କରିବ, ତତ୍‌ପରେ ଗୋଟିଏ ଫଳ ଚୂର୍ଣ୍ଣ ରି କ୍ଷତ ସ୍ଥାନରେ ପ୍ରବେଶ କରାଇ ଦେବ । ଏପରି କଲେ ଦୁଇ ତିନିଘଣ୍ଟା ମଧ୍ୟରେ ବିଷ ନାଶ ହେବ । ଏହି ଔଷଧ ବ୍ୟବହାର କରିବାରେ ବିଳମ୍ବ କଲେ କିଛି ଉପକାର ହେବନାହିଁ ।

୬୩.

(୪।୫।୧୯୧୨ ଖ୍ରୀଷ୍ଟାବ୍ଦର ବସୁମତୀରେ ପ୍ରକାଶ) ଡାକ୍ତର ମାନଙ୍କ ନିକଟରେ ମିଳୁଥିବା ‘‘ଲାଇକର ଏମୋନିୟା, ସର୍ପ ବିଷନାଶପକ୍ଷରେ ଶ୍ରେଷ୍ଠ ଔଷଧ । ରୋଗିର ବୟସ ଓ ବଳ ଅନୁସାରେ ଉକ୍ତ ଔଷଧ ୫ ଟୋପା ଠାରୁ ୩୦ ଟୋପା ପର୍ଯ୍ୟନ୍ତ ପ୍ରୟୋଗ କରିବ । ରୋଗିର ନାଡ଼ୀର ଗତି ଅସ୍ୱାଭାବିକ ହେଲେ ଏବଂ ଝାଳ ବହି ଅଠା ଅଠା ଲାଗିଲେ ଉକ୍ତ ଔଷଧ ସେବନ କରିବାକୁ ହେବ । ରୋଗିକୁ ଶୋଇବାରେ ବାଧାଦେଇ ତାର ହାତ ଧରି ବୁଲାଇବ । କ୍ଷତ ସ୍ଥାନରେ ଜଳ ମିଶି ନ ଥିବା ଲାଇକର ଏମୋନିଆ ଲଗାଇବ, ଏପରି କଲେ ବାର ଚଉଦ ଘଣ୍ଟା ମଧ୍ୟରେ ରୋଗୀ ବିଷମୁକ୍ତ ହୋଇଥାଏ ।

୬୪.

ସର୍ପବିଷନାଶକ ‘‘ତିରିୟାକ’’ ନାମକ ଏକପ୍ରକାର ଅବ୍ୟର୍ଥ ମହୌଷଧ ଥିବାର ବର୍ତ୍ତମାନ ଜଣା ଯାଇଅଛି । ଛୋଟନାଗପୁର ଅନ୍ତର୍ଗତ ନାଗରା ଜମିଦାରୀର ମେନଜର ଶ୍ରୀଯୁକ୍ତ ଅନିରୁଦ୍ଧ ପଟେଲ ମହାଶୟ ଉକ୍ତ ଔଷଧ ବ୍ୟବହାର ଦ୍ୱାରା ୭।୮ ଜଣ ସର୍ପଦଷ୍ଟ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲେ । ଔଷଧ ଅବ୍ୟର୍ଥ ଥିବାର ପ୍ରତ୍ୟକ୍ଷ କରି ସେ ଗତବର୍ଷ ଆପଣା ଇଲାକାର ପ୍ରତିଗ୍ରାମରେ ଉକ୍ତ ଔଷଧ ରଖାଇଥିଲେ । ତାହା ବ୍ୟବହାରଦ୍ୱାରା ୭୦ ଜଣ ସର୍ପଦଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ୬୫ ଜଣଙ୍କର ଜୀବନ ରକ୍ଷା ହୋଇଅଛି । ଅବଶିଷ୍ଟ ୫ ଜଣ ଉପଯୁକ୍ତ ସମୟରେ ଏବଂ ବ୍ୟବସ୍ଥା ପତ୍ରରେ ଥିବା ଉପଦେଶ ଅନୁସାରେ ଔଷଧ ବ୍ୟବହାର କରି ନ ଥିବାରୁ ଜୀବନ ହରାଇଅଛନ୍ତି ବୋଲି ଅନିରୁଦ୍ଧ ବାବୁ ଲେଖିଅଛନ୍ତି । ଉକ୍ତ ଔଷଧ ଏକ ଶିଶିର ମୂଲ୍ୟ ଆଠଅଣା । ଜଣେ ଜଣେ ସର୍ପଦଷ୍ଟ ବ୍ୟକ୍ତି ସକାଶେ ଏକ ଶିଶିରୁ ଦୁଇ ଶିଶିଯାଏ ଔଷଧ ଖରଚ ହୋଇଥାଏ । ଔଷଧ ସହିତ ବ୍ୟବସ୍ଥାପତ୍ର ମଧ୍ୟ ମିଳିଥାଏ । ଗାଜିପୁର ଠାରେ ରେଭରେଣ୍ଡ ଏଇଚ ଲୋରବିୟର ସାହେବଙ୍କ ନିକଟରେ ଉକ୍ତ ଔଷଧ ମିଳେ । ତାହା ସମସ୍ତଙ୍କର ସଂଗ୍ରହ କରି ରଖିବା ଶ୍ରେୟଷ୍କର ।

୬୫.

ମାଲଦହର ଡେପୁଟି ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ରାସବିହାରୀ ମୁଖୋପାଧ୍ୟାୟ ମହାଶୟ ଜଣେ ଲୋକକୁ ନିମ୍ନଲିଖିତ ପ୍ରକାରେ ବିଷମୁକ୍ତ କରିଥିବା ବିଷୟ ‘‘ବସୁମତୀ’’ ସମ୍ବାଦ ପତ୍ରରେ ପ୍ରକାଶିତ ହୋଇଅଛି । ଉକ୍ତ ଲୋକକୁ ତାହାର ପାଦଦେଶରେ କାଳସର୍ପ ଦଂଶନ କରିଥିଲା-। ଡେପୁଟି ବାବୁ ଦଷ୍ଟ ସ୍ଥାନର ତଳ ଓ ଉପରପାଖ ଦୃଢ଼ରୂପେ ବନ୍ଧନ କରି ଦଷ୍ଟସ୍ଥାନକୁ କାଟି ଦେଲେ । ପରେ ଗୋଟାଏ କୁକୁଡ଼ାର ପଛପାଖ ଅଳ୍ପ ଚିରିଦେଇ ଦଷ୍ଟସ୍ଥାନ ଉପରେ ଏପରିଭାବରେ ଲଗାଇ ରଖିଲେ ଯେ ଯେପରି ତାହାର ପାଦର ରକ୍ତ କୁକୁଡ଼ାର ଶରୀରରେ ଚଳାଚଳ କରେ । ଏହିପରି କିଛିକ୍ଷଣ ଲଗାଇ ରଖିବାରୁ କୁକୁଡ଼ାଟି କ୍ରମରେ ଚେତନା ଶୂନ୍ୟ ହେଲା । ତେତେବେଳେ ଆଉ ଗୋଟିଏ କୁକୁଡ଼ା ସେହିପରି ଲଗାଇଦିଆଗଲା । କିଛି କ୍ଷଣ ଏହିପରି ପ୍ରକ୍ରିୟା କରିବା ପରେ ରୋଗୀ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା ଏବଂ ଶେଷରେ ସେ ନିରାପଦ ହେଲା ।

 

ଗୋୟାଲିୟର ରାଜ୍ୟର ରେସିଡ଼େଣ୍ଟ ଇଞ୍ଜନିୟର ଶ୍ରୀଯୁକ୍ତ ଶରତଚନ୍ଦ୍ର ସେଇ-ମହାଶୟ-୬।୯।୧୩ ରେ ପ୍ରକାଶିତ ‘‘ବସୁମତୀ’’ ପତ୍ରିକାରେ ଲେଖିଅଛନ୍ତି, ‘‘ଗତ ଅଗଷ୍ଟ ମାସ ତା ୧୭ ଦିନ ୩୦ ବର୍ଷ ବୟସ୍କା ଜଣେ ରମଣୀକୁ ଦିବା ଘ୧୦ଣ୍ଟା ସମୟରେ ଗୋଟାଏ ବିଷଧର ସର୍ପ ଦଂଶନ କରିଥିଲା । ନିକଟବର୍ତ୍ତୀ ଲୋକମାନେ ଦିବା ଘ୧୨ଣ୍ଟା ପର୍ଯ୍ୟନ୍ତ ଚିକିତ୍ସା କରିଥିଲେ । ତହିଁରେ ଫଳ କିଛି ନ ହୋଇ ଅବସ୍ଥା କ୍ରମରେ ଶୋଚନୀୟ ହୋଇ ଉଠିଲା । ସେ ଦିବା ଏକଘଣ୍ଟା ବେଳକୁ ୨୪ ବାର ମୂର୍ଚ୍ଛିତା ହୋଇଥିଲା । ଯେତେବେଳେ ସମସ୍ତେ ମନେ କଲେ ଯେ ସେ ଆଉ ବଞ୍ଚିବ ନାହିଁ, ତେତେବେଳେ ଆମ୍ଭେ ଡାକ୍ତରଙ୍କୁ ଡକାଇ ୬ ଗୋଟା ମୁର୍ଗି ଅଣାଇଲୁଁ, ଆମ୍ଭ ସମ୍ମୁଖରେ ଆମ୍ଭର ନିର୍ଦ୍ଦେଶ ଅନୁସାରେ ଡାକ୍ତର ମହାଶୟ ଦଂଶିତ ସ୍ଥାନକୁ ଚିରିଦେଲେ । ତତ୍‌ପରେ ମୁର୍ଗିର ପଶ୍ଚାତ୍‌ଭାଗ ଚିରି ସେହି ମୁର୍ଗିକୁ (ଡେପୁଟି କଲେକ୍ଟରଙ୍କ କଥିତ ପ୍ରକାରେ) ଦଂଶିତ ସ୍ଥାନରେ ଲଗାଇ ମାଡ଼ିଧଇଲେ-। ୪୫ ମିନିଟ ମଧ୍ୟରେ ଗୋଟିକପରେ ଗୋଟିଏ ଲେଖାଏଁ ଚାରିଗୋଟା ମୁର୍ଗି ମରିଗଲେ । ରୋଗୀ କ୍ରମରେ ସୁସ୍ଥହେବାକୁ ଲାଗିଲା । ଆମ୍ଭେ ରୋଗିକୁ ଯେତେ କ୍ଷଣ ସକ୍ଷମ ଭ୍ରମଣ କରିବା ଏବଂ ରାତ୍ରରେ ନିଦ୍ରା ନ ଯିବା ନିମନ୍ତେ ଉପେଦେଶ ଦେଲୁଁ । ପରେ ସେ ଆଉ ଦୁଇଥର ମୂର୍ଚ୍ଛିତା ହୋଇଥିଲା । ପରଦିନ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଅଛି ।

୬୬.

୧୮।୯।୧୩ରେ ପ୍ରକାଶିତ ‘‘ସଞ୍ଜୀବନୀ’’ରେ ଲେଖା ଅଛି,–‘‘ଭବନଗର ଷ୍ଟେସନର ଅଦୂରବର୍ତ୍ତୀ । କୌଣସି ଏକ ଗ୍ରାମର ଦୁଇଜଣ ଲୋକ ବିଷଧର ସର୍ପର ଦଂଶନରେ ମୃତବତ୍‌ ହୋଇ ପଡ଼ିଥିଲେ । କତିପୟ ଗ୍ରାମବାସୀ ପ୍ରଥମତଃ ସେମାନଙ୍କୁ ବସାଇ ସେମାନଙ୍କର ଦୁଇହାତ ଧରି ରଖିଲେ ଏବଂ ଜଣେଲୋକ ପ୍ରାୟ ୧୧ ହାତ ଉପରୁ ଉଷ୍ମଜଳ ସେମାନଙ୍କ ମସ୍ତକ ଉପରେ ଢାଳିବାକୁ ଲାଗିଲା । କିଛିକାଳ ପରେ ସେମାନଙ୍କ ନିର୍ଜୀବ ଦେହରେ ପୁନରାୟ ଚେତନା ସଞ୍ଚାର ଆରମ୍ଭ ହେଲା । ଅବଶେଷରେ ସେମାନେ ସମ୍ପୂର୍ଣ୍ଣରୂପେ ଆରୋଗ୍ୟ ଲାଭକଲେ । ଉର୍ଦ୍ଧ୍ୱରୁ ମସ୍ତକ ଉପରେ ଉଷ୍ମଜଳ ଢାଳିବା ବ୍ୟତୀତ ଅନ୍ୟକିଛି ଉପାୟ ଅବଲମ୍ବନ କରାଯାଇ ନାହିଁ ।’’

 

ଅନେକ ପ୍ରକାର ‘ଗଦ’ ବୃକ୍ଷ ଅଛି । ତାହାପରେ, ବାଡ଼ିରେ, ଲଗାଇଲେ ତାହାର ଗନ୍ଧ ସହି ନ ପାରି ସାପମାନେ ସେଠାକୁ ଆସନ୍ତି ନାହିଁ । ଏପରି ଉପକାରି ଗଛମାନ ସମସ୍ତଙ୍କର ଘରେ ବାହାରେ ଅଧିକ ପରିମାଣରେ ଲଗାଇବା ଉଚିତ । ବିଷନାଶ ନିମନ୍ତେ ନାନା ପ୍ରକାର ଗଦ ବ୍ୟବହୃତ ହୋଇଥାଏ । ସେ ସବୁ ସଂଗ୍ରହକରି ରଖିବା ସୁବିବେଚନାର କାର୍ଯ୍ୟ । ଏ ଦେଶର ଲୋକମାନେ କାଳେ ‘‘ଶିବ କୋପ କରିବେ’’ ବୋଲି ସର୍ପଦଷ୍ଟ ବ୍ୟକ୍ତିକୁ ଔଷଧ ସେବନ ନ କରାଇ ଶିବାଳୟରେ ଛାଡ଼ିଦିଅନ୍ତି ଶିବଭାଷିତ ଈଶ୍ୱର ପ୍ରଦତ୍ତ ଔଷଧ ସେବନ ନ କରାଇ ଏପରି କରିବା ନିତାନ୍ତ ମୂର୍ଖତା ଓ ଅବିବେକତାର କାର୍ଯ୍ୟ ।

 

ବିଶେଷ ଦ୍ରଷ୍ଟବ୍ୟ–ଏ ପୁସ୍ତକରେ ଲେଖାଯାଇ ଥିବା ଔଷଧମାନ ସବୁବେଳେ ସବୁଠାରେ ମିଳିବା ଅସମ୍ଭବ । ଏହେତୁ ପୂର୍ବରୁ ସେ ସବୁ ସଂଗ୍ରହକରି ରଖିବା ସୁବିବେଚନାର କାର୍ଯ୍ୟ ।

Image